ଭୁବନେଶ୍ୱର, ୨୯।୬: ପୁରୀରେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ରଥଯାତ୍ରା ବିଶ୍ଵ ପ୍ରସିଦ୍ଧ । ଶରଧାବାଲିରେ ମହାପ୍ରଭୁଙ୍କ ଦିବ୍ୟ ଦର୍ଶନ ପାଇଁ ଲକ୍ଷ ଲକ୍ଷ ଭକ୍ତ ଅତ୍ୟନ୍ତ ଆଗ୍ରହ ଓ ଉତ୍କଣ୍ଠାର ସହ ଆସିଥାନ୍ତି । ରଥଯାତ୍ରାରେ ଭିଡ଼ ଜନିତ ଅଘଟଣରୁ ୩ଜଣ ଶ୍ରଦ୍ଧାଳୁଙ୍କ ପରଲୋକ ଘଟିଛି । ଏ ଘଟଣାରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଅତ୍ୟନ୍ତ ବ୍ୟଥିତ ହୋଇ ଦୁଃଖ ପ୍ରକାଶ କରିଛନ୍ତି । ସିଏମ୍ ଏ ଘଟଣାରେ ବ୍ୟକ୍ତିଗତ ଭାବେ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ କ୍ଷମା ପ୍ରାର୍ଥନା କରିଛନ୍ତି । ପରଲୋକଗତ ଭକ୍ତମାନଙ୍କ ପରିବାର ବର୍ଗଙ୍କୁ ମୁଖ୍ୟମନ୍ତ୍ରୀ ସମବେଦନା ଜଣାଇଛନ୍ତି । ଏଥିସହ ମୃତକଙ୍କ ପରିବାରକୁ ୨୫ ଲକ୍ଷ ଟଙ୍କା ଲେଖାଏଁ ଆର୍ଥିକ ସହାୟତା ରାଶି ଘୋଷଣା କରିଛନ୍ତି । ସେହିପରି ଆହତଙ୍କୁ ଉତ୍ତମ ଚିକିତ୍ସା ମିଳିବ ବୋଲି ଘୋଷଣା କରାଯାଇଛି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।
ମହାପ୍ରଭୁଙ୍କ ତିନି ରଥ ସାମ୍ନାରେ ବଡ଼ ଧରଣର ଅଘଟଣ ଘଟିଛି । ରବିବାର ଭୋର ୪ଟା ୫୦ରେ ଶରଧାବାଲିରେ ଠେଲାପେଲା ହୋଇଥିଲା । ଦଳାଚକଟାରେ ୩ଜଣ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ଅଭିଯୋଗ ହୋଇଥିବା ବେଳେ ସମସ୍ତ ମୃତକ ଖୋର୍ଦ୍ଧା ଜିଲ୍ଲାର ବୋଲି ଜଣାପଡ଼ିଛି । ସେମାନଙ୍କ ମଧ୍ୟରୁ ୨ ଜଣ ମହିଳା ପ୍ରଭାତୀ ଦାସ ଏବଂ ବାସନ୍ତୀ ସାହୁ ରଥ ସାମ୍ନାରେ ପ୍ରାଣ ହରାଇଛନ୍ତି । ଅନ୍ୟ ଜଣେ ୭୦ ବର୍ଷୀୟ ବୃଦ୍ଧ ପ୍ରେମାକାନ୍ତ ମହାନ୍ତିଙ୍କର ହସ୍ପିଟାଲରେ ମୃତ୍ୟୁ ହୋଇଥିବା ପୁରୀ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ ପବିତ୍ର ମୋହନ ମଲ୍ଲିକ ସୂଚନା ଦେଇଛନ୍ତି ।